ଫୋକସରେ ପଶ୍ଚିମ ଓଡ଼ିଶା, ମଇଦାନକୁ ଓହ୍ଲାଇଛନ୍ତି ବଡ଼ ବଡ଼ ହେଭିଓ୍ଵେଟ୍

Published By : Prameya-News7 Bureau | April 18, 2024 IST

ଭୁବନେଶ୍ଵର: ରାଜ୍ୟ ରାଜନୀତିର ଫୋକସରେ ରହିଛି ପଶ୍ଚିମ ଓଡ଼ିଶା । ଏଥର ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ତିନି ଦଳ ବିଜେଡି. ବିଜେପି ଓ କଂଗ୍ରେସର ବହୁ ହେଭିଓ୍ବେଟ୍ ନେତା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଥିବା ବେଳେ ସମ୍ବଲପୁରରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିଭଳି ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି । ସେହିଭଳି ପଶ୍ଚିମ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ଏଥର ମଇଦାନରେ ଅଛନ୍ତି ତିନି ଦଳର ଡଜନେରୁ ଅଧିକ ଟାଣୁଆ ନେତା ।

ପଶ୍ଚିମ ଓଡ଼ିଶା ନିର୍ବାଚନୀ ମଇଦାନରେ ଏବେ ବଡ଼ ନେତାଙ୍କ ଭିଡ଼ । ବାଜିରେ ଲାଗିଛି ଡଜନେରୁ ଅଧିକ ହେଭିଓ୍ବେଟଙ୍କ ଭାଗ୍ୟ । କଣ୍ଟାବାଞ୍ଜି ବିଧାନସଭା ଆସନରେ ମଇଦାନକୁ ଓହ୍ଲାଇଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଲୋକସଭ ପାଇଁ ଲଢ଼ୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ନୂଆପଡ଼ା ବିଧାନସଭା ଆସନରେ ପ୍ରାର୍ଥୀ ହୋଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଏହି ତିନି ବଡ଼ ନେତାଙ୍କ ବ୍ୟତୀତ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସର ଆହୁରି ଅନେକ ହେଭିଓ୍ବେଟ୍ ଏବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।

Also read: କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

ଏମାନଙ୍କ ଭିତରେ ଅଛନ୍ତି, ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସାଂସଦ ପ୍ରାର୍ଥୀ ତଥା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କୁ ଚେକ୍ ଦେବାକୁ ମଇଦାନକୁ ଓହ୍ଲାଇଛନ୍ତି ପ୍ରଣବ । ସେହିଭଳି ରେଢ଼ାଖୋଲରୁ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ହେଭିଓ୍ବେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟ । ସେହିଭଳି ସୋନପୁରରେ ପୁଣି ବିଜେଡି ବିଧାୟକ ପ୍ରାର୍ଥୀ ହୋଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବୌଦ୍ଧରେ ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ, ବୀରମହରାଜପୁରରେ ପ୍ରାର୍ଥୀ ହୋଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ୨୦୧୯ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ୩୮ ବିଧାନସଭା ଆସନରୁ ୨୨ ସିଟ୍ ବିଜେଡି ଖାତାକୁ ଆସିଥିଲା। ଏଥର ସଂଖ୍ୟା ବଢ଼ାଇବା ଲାଗି ପଶ୍ଚିମ ଓଡ଼ିଶା ମଇଦାନକୁ ଓହ୍ଲାଇଛନ୍ତି ଖୋଦ୍ ବିଜେଡି ସଭାପତି ଓ ସାଂଗଠନିକ ସମ୍ପାଦକ । 

୨୦୧୯ରେ ପଶ୍ଚିମ ଓଡ଼ିଶାରେ ୫ରୁ ୫ ଲୋକସଭା ହାତେଇଥିବା ବିଜେପି ଏଥର ମଧ୍ୟ ନିର୍ବାଚନକୁ ନେଇ ଖୁବ୍ ସିରିୟସ ଅଛି । ଖୋଦ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୋର ଟିମ୍ ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ସେହିଭଳି ସମ୍ବଲପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ସୁନ୍ଦରଗଡ଼ ଲୋକସଭା କ୍ଷେତ୍ରରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ୍ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟ ରାଉରକେଲାରୁ ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ସେପଟେ ବଲାଙ୍ଗିର ମଇଦାନରେ  ବି ଅଛନ୍ତି ବିଜେପିର ଦୁଇ ଟାଣୁଆ ନେତା । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପାଟଣାଗଡ଼ରୁ ପ୍ରାର୍ଥୀ ହୋଇଥିବା ବେଳେ ବଲାଙ୍ଗିରରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ପାଟଣାଗଡ଼ ରାଣୀ ସଂଗୀତ ସିଂହଦେଓ । 

ସେହିଭଳି ଭବାନୀପାଟଣାରୁ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପୁଣି ବିଜେପି ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ବ୍ରଜରାଗନରରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ବରଗଡ଼ ସାଂସଦ ସୁରେଶ ପୂଜାରୀ । ଏଥର ପଶ୍ଚିମ ଓଡ଼ିଶାରେ ଅଧିକରୁ ଅଧିକ ଲୋକସଭା ଆସନ ହାତେଇ ମୋଦିଙ୍କ ୪ଶହ ପାର୍ ମିଶନକୁ ସଫଳ କରିବାକୁ ପୂରା ଦମ୍ ଲଗାଇଛି ବିଜେପି । 

କଂଗ୍ରେସ ମଧ୍ୟ ପଶ୍ଚିମ ଓଡ଼ିଶାକୁ ବେଶ୍ ଗୁରୁତ୍ବ ଦେଇଛି । ନୂଆପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଖୋଦ୍ ପିସିସି ସଭାପତି ଶରତ ପଟ୍ଟନାୟକ । ସେହିଭଳି ୪୦ବର୍ଷ ପରେ ପୁଣି ଥରେ ବିଧାନସଭା ଯିବାକୁ ମନ ବଳାଇଛନ୍ତି କଂଗ୍ରେସର ହେଭିଓ୍ବେଟ୍ ନେତା ଭକ୍ତ ଦାସ । ସେ ଏଥର ନର୍ଲାରୁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ବଲାଙ୍ଗିରରୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ବ୍ରଜରାଜ ନଗରରୁ କିଶୋର ପଟେଲଙ୍କ ଭଳି କଂଗ୍ରେସର ବଡ଼ ନେତା ମଇଦାନରେ ଅଛନ୍ତି ।  ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି ପଶ୍ଚିମ ଓଡ଼ିଶା । ଏବେ ସବୁ ଦଳର ହେଭିଓ୍ବେଟ୍ ପଶ୍ଚିମ ଓଡ଼ିଶା ନିର୍ବାଚନୀ ମଇଦାନରେ ଥିବାରୁ ଏଠାରେ ରାଜନୈତିକ ପାଣିପାଗ ବେଶ୍ ସରଗରମ୍ ହୋଇଛି । 

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.